ନୂଆଦିଲ୍ଲୀ,୦୨/୦୯:  ବିହାରରେ  ଭୋଟର ତାଲିକା ସଂଶୋଧନ  (ଏସ୍‌ଆଇଆର) ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା ।  ନିର୍ବାଚନ କମିଶନ ସର୍ବୋଚ୍ଚ ଅଦାଲତଙ୍କୁ  ଜଣାଇଛନ୍ତି ଯେ ଚିଠା ଭୋଟର ତାଲିକାରୁ  ବାଦ୍‌ ପଡିଥିବା ଭୋଟରମାନେ ସେପ୍ଟେମ୍ବର  ୧ ତାରିଖ ସୁଦ୍ଧା ନିଜର ଆପତ୍ତି ଅଭିଯୋଗ  ଦାଖଲ ଲାଗି ଶେଷ ସମୟ ସୀମା  ରହିଥିଲା । ଏହା ପରେ ମଧ୍ୟ ସେମାନେ  ଅଭିଯୋଗ ଦାଖଲ କରିପାରିବେ । କିନ୍ତୁ  ଭୋଟର ତାଲିକା ଚୂଡାନ୍ତ ହେବା ପରେ  ତାହା ଉପରେ ବିଚାର କରାଯିବ । ଯଦି  ତାର ଯଥାର୍ଥତା ରହିଥିବ ତେବେ ତାକୁ ଚୂଡାନ୍ତ ଭୋଟର ତାଲିକାରେ ସାମିଲ  କରାଯିବ ।

ବିଚାରପତି ସୂର୍ଯ୍ୟକାନ୍ତ ଓ  ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ  ଖଣ୍ଡପୀଠ କହିଛନ୍ତି ଯେ, ଏସ୍‌ଆଇଆରକୁ  ନେଇ ଯେଉଁ ଭ୍ରମ ରହିଛି ତାହା ବିଶ୍ୱାସର ଅଭାବ । ଏଭଳି କ୍ଷେତ୍ରରେ ରାଜନୈତିକ  ଦଳମାନେ ନିଜେ ଏସ୍‌ଆଇଆର  ପ୍ରକ୍ରିୟାରେ ସାମିଲ ହେବା ଉଚିତ ।  ସର୍ବୋଚ୍ଚ ଅଦାଲତ ବିହାର ଆଇନ ସେବା  ପ୍ରାଧିକରଣକୁ ଆପତ୍ତି ଅଭିଯୋଗ ଦାଖଲ  କରିବାକୁ ମତଦାତା ଓ ରାଜନୈତିକ  ଦଳମାନଙ୍କୁ ସହଯୋଗ କରିବାକୁ ପାରା  ଲିଗାଲ ଭଲ୍ୟୁଣ୍ଟିୟର ନିଯୁକ୍ତ କରିବା  ଲାଗି ନିର୍ଦ୍ଦେଶ ଦେଇଛନ୍ତି । ପାରା ଲିଗାଲ  ଭଲ୍ୟୁଣ୍ଟିୟରମାନେ ଏ ସଂକ୍ରାନ୍ତ ଗୋପନ ରିପୋର୍ଟ ଜିଲ୍ଲା ଜଜ୍‌ଙ୍କ ନିକଟରେ ଦାଖଲ  କରିବେ । ଯାହା ଉପରେ ଆସନ୍ତା ୮ରେ  ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।